କାଠମାଣ୍ଡୁ,୨୧।୧: ନେପାଳର ଦାମନରେ ଏକ ହୋଟେଲରେ ୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ କେରଳର ବୋଲି କୁହାଯାଉଛି। ମକଓ୍ବାନପୁରର ଏସ୍ପି ସୁଶୀଲ ସିଂ ରାଥୋଡ ଏହି ସୂଚନା ଦେଇଛନ୍ତି। ଏମାନଙ୍କ ପରିଚୟ ମିଳି ନ ଥିବା ବେଳେ ଏମାନେ କୋଠରୀ ମଧ୍ୟରେ ଗ୍ୟାସ୍ ହିଟର ବ୍ୟବହାର କରିଥିବାରୁ ଏଥିରେ ଅଣନିଃଶ୍ୱାସୀ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି ରାଥୋଡ କହିଛନ୍ତି। ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି। ଏହି ଘଟଣାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ବୈଦେଶିକ ମନ୍ତ୍ରୀ ଏସ୍ .ଜୟଶଙ୍କରଙ୍କୁ ପତ୍ରଲେଖି ମୃତଙ୍କଙ୍କ ପରିବାରଙ୍କୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।