ନୂଆଦିଲ୍ଲୀ, ୨।୭(ପି.ଟି.)- ଆଘାତଜନିତ ସମସ୍ୟା ଲାଗି ଚଳିତ ଆଇସିସି ବିଶ୍ୱକପ୍ରୁ ବାଦ୍ ପଡ଼ିଥିବା ଦକ୍ଷିଣ ଆଫ୍ରିକା ଷ୍ଟାର୍ ବୋଲର ଡେଲ୍ ଷ୍ଟେଇନ୍ ୟୁରୋ ଟି୨୦ ସ୍ଲାମ ଲିଗ୍ର ଉଦ୍ଘାଟନୀ ସଂସ୍କରଣରେ ଖେଳିବେ। ଜଣେ ମର୍କ୍ୟୁ ଖେଳାଳିଭାବେ ଷ୍ଟେଇନ୍ ଏହି ୬ ଦଳୀୟ ପ୍ରତିଯୋଗିତାରେ ଖେଳିବାକୁ ଚୁକ୍ତି କରିଛନ୍ତି। ୟୁରୋ ଟି୨୦ ସ୍ଲାମ ଲିଗ୍ ଆସନ୍ତା ଅଗଷ୍ଟ ୩୦ରୁ ଆରମ୍ଭ ହେବ। ‘ମର୍କ୍ୟୁ ଖେଳାଳି ତାଲିକାରେ ଇମ୍ରାନ ତାହିର, ଜେପି ଡୁମିନି, କ୍ରିସ ଲିନ୍, ବାବର ଆଜମ ଓ ଲ୍ୟୁକ୍ ରୋଞ୍ଚତ୍ଙ୍କ ସମେତ ଷ୍ଟେଇନ୍ ଯୋଗ ଦେଇଛନ୍ତି। ସେହିଭଳି ଇଂଲଣ୍ଡ ଅଧିନାୟକ ଇଅନ୍ ମୋର୍ଗାନ, ଭେଟେରାନ ପାକିସ୍ତାନ ଅଲ୍ରାଉଣ୍ଡର ଶାହିଦ ଆଫ୍ରିଦୀ, ବ୍ରେଣ୍ଡନ ମ୍ୟାକ୍କୁଲମ, ଶେନ ଓ୍ବାଟ୍ସନ ଓ ରଶିଦ ଖାଁ ଟୁର୍ନାମେଣ୍ଟର ଆଇକନ୍ ଖେଳାଳି ରହିଛନ୍ତି’ ବୋଲି କ୍ରିକେଟ୍ ନେଦରଲାଣ୍ଡ୍ସ ପକ୍ଷରୁ ଟୁଇଟ୍ ଯୋଗେ କୁହାଯାଇଛି।
ପ୍ରକାଶଯୋଗ୍ୟ, ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ଟେଷ୍ଟ ଉଇକେଟ୍ ଅକ୍ତିଆର କରିଥିବା ୩୬ ବର୍ଷୀୟ ଷ୍ଟେଇନ୍ ବିଶ୍ୱକପ୍ ଲାଗି ଜାତୀୟ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ଫିଟ୍ନେସ ସମସ୍ୟା ଲାଗି ପରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ଏବେ ଷ୍ଟେଇନ୍ ଧିରେ ଧିରେ ସୁସ୍ଥ ଆଡ଼କୁ ଦ୍ରୁତ ଅଗ୍ରଗତି କରୁଥିବାରୁ ୟୁରୋ ଟି୨୦ ଟୁର୍ନାମେଣ୍ଟ ଖେଳିବା ନିଶ୍ଚିତ ହୋଇଛି। ଷ୍ଟେଇନ୍ ୯୩ ଟେଷ୍ଟରୁ ୪୩୯ ଉଇକେଟ୍ ଅକ୍ତିଆର କରିଛନ୍ତି।