ରୁଦ୍ରପ୍ରୟାଗ,୧୬।୫: କରୋନା ସଂକ୍ରମଣ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଉତ୍ତରାଖଣ୍ଡ ଅଗସ୍ତମୁନୀର ୮୦ ବର୍ଷୀୟ ବୃଦ୍ଧା ଦର୍ଶନୀ ଦେବୀ। ଡୋଭା-ଡଡୋଲି ଗାଁରେ ରହୁଥିବା ଏହି ବରିଷ୍ଠ ନାଗରିକ ଜଣକ ନିଜର ପେନସନ୍ ଟଙ୍କା ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିବାକୁ ଦୀର୍ଘ ୧୦ କିଲୋମିଟର ଚାଲି ଚାଲି ଯାଇଛନ୍ତି। ଏହି ବୀରାଙ୍ଗନାଙ୍କ ସ୍ବାମୀ କୁବତର ସିଂ ସୌଥାଣା ୧୯୬୫ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଶହୀଦ ହୋଇଯାଇଥିଲେ। ଅନ୍ୟପଟେ ଦର୍ଶନୀଙ୍କର କୌଣସି ସନ୍ତାନ ସନ୍ତତି ମଧ୍ୟ ନାହାନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଦର୍ଶନୀ ନିଜ ଘରୁ ବାହାରି ପ୍ରାୟ ୧୦ କିଲୋମିଟର ଚାଲି ଚାଲି ଯାଇ ଅଗସ୍ତମୁନିରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ପହଞ୍ଚିଥିଲେ। ଏହାପରେ ସେ ନିଜ ପେନସନ୍ ଟଙ୍କାରୁ ୨ ଲକ୍ଷ ଟଙ୍କା ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିଥିଲେ। ସେ କହିଛନ୍ତି କରୋନା ମାହାମାରୀ ସହ ଦେଶ ଲଢୁଥିବା ବେଳେ ଅନେକ ଲୋକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ କିଛି ନା କିଛି ଦାନ କରୁଛନ୍ତି ତେଣୁ ସେ ବି ଏଥିରେ ସାମିଲ ହେବାକୁ ସ୍ଥିର କରିଥିଲେ ଓ ପିଏମ୍ କେୟାର୍ସ ଫଣ୍ଡକୁ ୨ ଲକ୍ଷ ଟଙ୍କା ଦାନ କରିଛନ୍ତି ବୋଲି କହିଛନ୍ତି।