ଭୁବନେଶ୍ୱର,୯।୫(ବ୍ୟୁରୋ): ଲକ୍ଡାଉନ୍ରେ ଶିଶୁଙ୍କ ସୃଜନଶୀଳତାର ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ୟୁନିସେଫ୍ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ପ୍ରତିଭା’ ଅନ୍ଲାଇନ୍ ପ୍ରତିଯୋଗିତା ଇତି ମଧ୍ୟରେ ୫ ସପ୍ତାହ ପୂରଣ କରିଛି। ଏହା ମଧ୍ୟରେ ବିଭାଗ ନିକଟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଆବେଦନ ପହଞ୍ଚତ୍ଛି। ପ୍ରବନ୍ଧ, କବିତା ଲିଖନ, ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କ ନାମ ପ୍ରତି ସପ୍ତାହରେ ଘୋଷଣା ହେଉଥିବାବେଳେ ଚଳିତ ସପ୍ତାହ ପାଇଁ ବିଜେତାଙ୍କ ନାମ ଘୋଷଣା ହୋଇଛି। ଶ୍ରେଷ୍ଠ ବିବେଚିତ ସୃଜନକଳାଗୁଡ଼ିକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଡିିଜିଟାଲ୍ ପ୍ରଦର୍ଶନୀର ଆୟୋଜନ କରାଯିବ। ଏହାବ୍ୟତୀତ ଲକ୍ଡାଉନ୍ ଅବଧି ସରିବାପରେ ଓଡ଼ିଶା ଲଳିତ କଳା ଏକାଡେମୀ ସହଯୋଗରେ ପ୍ରତ୍ୟକ୍ଷ ପ୍ରଦର୍ଶନୀ ପାଇଁ ବିଭାଗ ତରଫରୁ ପଦକ୍ଷେପ ନିଆଯିବ। ଏଣିକି ପ୍ରତି ଶନିବାର ଦିନ ‘ମୋ ପ୍ରତିଭା’ ବିଜେତା ଓ ଅନ୍ୟ ପ୍ରତିଯୋଗୀଙ୍କ କୃତି ଡିଜିଟାଲ୍ ପ୍ଲାଟ୍ଫର୍ମରେ ପ୍ରଦର୍ଶିତ ହେବ। ପିଲାମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍ରେ ମଧ୍ୟ ଏହା ପ୍ରଦର୍ଶନ କରାଯିବ, ଯେଉଁଥିରେ ପିଲାମାନେ ନିଜର ଅଭିଜ୍ଞତା ସମ୍ପର୍କରେ କହିବେ।