ନୂଆଦିଲ୍ଲୀ,୯।୪: କରୋନା ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଅଣ୍ଟା ଭିଡ଼ିଛି। କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଲକ୍ଡାଉନ୍ ସମୟରେ ଶିଶୁ ନିର୍ଯାତନା ମାମଲାରେ ବୃଦ୍ଧି ଘଟିଥିବା ଚାଇଲ୍ଡ୍ ଲାଇନ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍ଡାଉନ୍ର ୧୧ ଦିନ ମଧ୍ୟରେ ଚାଇଲ୍ଡ୍ ଲାଇନ୍ ଇଣ୍ଡିଆ ପାଖକୁ ୯୨,୧୦୫ ଶିଶୁ ନିର୍ଯାତନା ମାମଲା ସମ୍ପର୍କରେ କଲ୍ ଆସିଥିବା ଉପନିର୍ଦ୍ଦେଶକ ହାରଲେନ୍ ଓ୍ବାଲିଆ କହିଛନ୍ତି। ଲକ୍ଡାଉନ୍ର ପ୍ରଥମ ସପ୍ତାହଠାରୁ ଏଭଳି ଘଟଣା ଧୀରେଧୀରେ ବୃଦ୍ଧି ପାଇଛି। ଲକ୍ଡାଉନ୍ ସମୟରେ ଏଭଳି ନିର୍ଯାତନା ମାମଲା ୫୦ ପ୍ରତିଶତ ବଢ଼ିଥିବା ସେ କହିଛନ୍ତି। ସେହିପରି ଏହି ସମୟରେ ୧,୬୭୭ଟି କଲ୍ କରୋନା ସଂକ୍ରମଣ ସମ୍ପର୍କିତ ପ୍ରଶ୍ନ ପାଇଁ ଆସିଥିବାବେଳେ ଅସୁବିଧାରେ ପଡ଼ିଥିବା ଲୋକଙ୍କ ପକ୍ଷରୁ ୨୩୭ଟି କଲ୍ ଆସିଥିବା ଓ୍ବାଲିଆ କହିଛନ୍ତି।