Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ: ପଞ୍ଚମ ଟାଇଟଲ ଲକ୍ଷ୍ୟରେ ଭାରତ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଭାରତ ଓ ବାଂଲାଦେଶ ରବିବାର ପରସ୍ପରକୁ ଭେଟିବେ। ସ୍ଥାନୀୟ ସେନଓ୍ବେଜ୍‌ ପାର୍କ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ପ୍ରିୟମ ଗର୍ଗଙ୍କ ନେତୃତ୍ୱାଧୀନ ଭାରତ ହଟ୍‌ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବାଂଲାଦେଶ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। ଟାଇଟଲ ମୁକାବିଲାରେ ଏଥର ଦକ୍ଷିଣ ଏସିଆର ଦୁଇଟି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ।
ଭାରତ କ୍ୱାର୍ଟର ଓ ସେମିଫାଇନାଲରେ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଦଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ପୂର୍ବରୁ ଭାରତ ସର୍ବାଧିକ ୪ଥର ଟାଇଟଲ ହାସଲ କରିସାରିଛି। ଅପରପକ୍ଷରେ ବାଂଲାଦେଶ ପ୍ରଥମଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିଲେ ମଧ୍ୟ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ବାଂଲାଦେଶ ମଧ୍ୟ କ୍ୱାର୍ଟର ଓ ସେମିଫାଇନାଲରେ ଯଥାକ୍ରମେ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି।
ଗତ ୨୦୧୮ ସଂସ୍କରଣରେ ପୃଥ୍ବୀ ଶ ଓ ଶୁବମନ ଗିଲଙ୍କ ଭଳି ଖେଳାଳି ଦମ୍‌ଦାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୃଥ୍ବୀ ସିନିୟର ଦଳ ପାଇଁ ଖେଳିଛନ୍ତି ଓ ଶୁବମନ ଖେଳିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ଏଥର ଓପ୍‌ନର ଯଶସ୍ବୀ ଜୈସୁଆଲ, ସ୍ପିନର ରବି ବିଷ୍ଣୋଇ ଓ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫାଇନାଲରେ ମଧ୍ୟ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ୧୯ ବର୍ଷରୁ କମ୍‌ କ୍ରିକେଟରେ ଭାରତ ଏକ ଅପ୍ରତିଦ୍ୱନ୍ଦ୍ୱୀ ଦଳ ଭାବେ ଉଭା ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତୃଣମୂଳସ୍ତରରେ କ୍ରିକେଟର ବିକାଶ ପାଇଁ ଅନ୍ୟ ବୋର୍ଡଙ୍କ ତୁଳନାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଛି ଓ ଏହାର ଫଳ ଏବେ ଦେଖିବାକୁ ମିଳୁଛି।
ସେମିଫାଇନାଲରେ ଭାରତ ୧୦ ଉଇକେଟରେ ପାକିସ୍ତାନକୁ ହରାଇଥିଲା। ୨୦୦୦ରେ ଭାରତ ପ୍ରଥମଥର ପାଇଁ ଟାଇଟଲ ହାସଲ କରିଥିଲା। ଏହାପରେ ଭାରତ ସପ୍ତମ ଫାଇନାଲ ଖେଳିବାକୁ ଯାଉଛି। ୧୯ ବର୍ଷରୁ କମ୍‌ କ୍ରିକେଟରେ ସଫଳ ହେଲେ ସିନିୟର କ୍ରିକେଟରେ ଜଣେ ସଫଳ ହେବ, ତାହା କହିହେବ ନାହିଁ। ୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଭାରତ ଟାଇଟଲ ହାସଲ କରିଥିଲେ ମଧ୍ୟ ପରେ ସେ ସଫଳ ହୋଇପାରି ନ ଥିଲେ। ଭାରତୀୟ ଦଳରେ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ରାହୁଲ ଡ୍ରାଭିଡ୍‌ଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଭାରତୀୟ ଜୁନିୟର କ୍ରିକେଟ ଠିକ ଦିଗରେ ଅଗ୍ରସର ହେଉଛି। ଏହି ବିଶ୍ୱକପ୍‌ ଖେଳିବା ପୂର୍ବରୁ ଭାରତୀୟ ଦଳ ବିଶ୍ୱର ବିଭିନ୍ନ ସ୍ଥାନରେ ୩୦ଟି ମ୍ୟାଚ୍‌ ଖେଳି ତା’ର ପ୍ରସ୍ତୁତି କାର୍ଯ୍ୟକାରୀ କରିଥିଲା। ଦକ୍ଷିଣ ଆଫ୍ରିକା ପାଣିପାଗ ସହ ଖାପ ଖୁଆଇବା ପାଇଁ ଭାରତ ବିଶ୍ୱକପ୍‌ ପୂର୍ବରୁ ଏଠାରେ ଏକ ଚତୁଃରାଷ୍ଟ୍ରୀୟ ସିରିଜ ଖେଳିଥିଲା।
ଅନ୍ୟପଟେ ୨୦୧୮ରେ ବାଂଲାଦେଶ ଗତ ସଂସ୍କରଣର କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଥିଲା। ଗତ ଦୁଇବର୍ଷ ହେବ ବାଂଲାଦେଶ ତାର ପ୍ରସ୍ତୁତି ନିରବଚ୍ଛିନ୍ନ ଭାବେ ଚାଲୁ ରଖିଥିଲା। ଭାରତ ଇଂଲଣ୍ଡରେ ତ୍ରିରାଷ୍ଟ୍ରୀୟ ସିରିଜ ଓ ଗତବର୍ଷ ଏସିଆ କପ୍‌ ଜିତିଥିଲେ ମଧ୍ୟ ବାଂଲାଦେଶ ଲଢୁଆ ଖେଳ ପ୍ରଦର୍ଶନ କରିଛି। ବାଂଲାଦେଶ ଏକ ଲଢୁଆ ଦଳ। ଏହି ଦଳ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି ବୋଲି ଭାରତୀୟ ଫିଲ୍ଡିଂ କୋଚ୍‌ ଅଭୟ ଶର୍ମା କହିଛନ୍ତି। ତେବେ ଅବାଞ୍ଚିତ ଚାପ ନେବାକୁ ଆମେ ଚାହୁଁନାହୁଁ ବୋଲି ବାଂଲାଦେଶ ଅଧିନାୟକ ଆକବର ଅଲି କହିଛନ୍ତି।
ଟପ୍‌ ଅର୍ଡରରେ ଜୈସୁଆଲ, ପ୍ରିୟମ ଓ ଦିବ୍ୟାଂଶ ସାକସେନା ଦାୟିତ୍ୱରେ ରହିବେ। ସୁପର ଫର୍ମରେ ଥିବା ଜୈସୁଆଲ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ୩୧୨ ରନ ସଂଗ୍ରହ କରିସାରିଲେଣି। ୫ଟି ମ୍ୟାଚ୍‌ ଖେଳି ସେ ୧୫୬ ରନ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ସେମିଫାଇନାଲରେ ସେ ପାକିସ୍ତାନ ବିପକ୍ଷରେ ଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ଦ୍ରୁତ ବୋଲିଂରେ ସୁଶାନ୍ତ ମିଶ୍ର, କାର୍ତ୍ତିକ ତ୍ୟାଗୀ, ଆକାଶ ସିଂ ନୂଆ ବଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଲେଗ୍‌ ସ୍ପିନର ରବି ବିଷ୍ଣୋଇ ମଧ୍ୟ ନିର୍ଣ୍ଣାୟକ ପ୍ରଦର୍ଶନ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ୨୦୭ ରନ ସଂଗ୍ରହ କରିଥିଲା। ଚଳିତ ବିଶ୍ୱକପ୍‌ରେ ଏକମାତ୍ର ଦଳ ଭାବେ ଶ୍ରୀଲଙ୍କା ଭାରତ ବିପକ୍ଷରେ ୨୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛି। ବାଂଲାଦେଶ ତରଫରୁ ମହମୁଦୁଲ ହାସନ ଜୟ, ତାନ୍‌ଜିଦ୍‌ ହାସନ ବ୍ୟାଟିଂରେ ଓ ବାମହାତୀ ସ୍ପିନର ରାକିବୁଲ ହାସନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ବାଂଲାଦେଶ ବପର୍ଯ୍ୟୟ ଘଟାଇବାର କ୍ଷମତା ରଖୁଛି। ତେଣୁ ଫାଇନାଲ ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ପ୍ରିୟମ ଗର୍ଗ (ଅଧିନାୟକ), ଯଶସ୍ବୀ ଜୈସୁଆଲ, ଦିବ୍ୟାଂଶ ସାକସେନା, ତିଲକ ବର୍ମା, ଧ୍ରୁବ ଜୁରେଲ (ଉଇକେଟ କିପର), ସିଦ୍ଧେଶ ବୀର, ଅଥର୍ବ ଅଙ୍କୋଲେକର, ରବି ବିଷ୍ଣୋଇ, ସୁଶାନ୍ତ ମିଶ୍ରା, କାର୍ତ୍ତିକ ତ୍ୟାଗୀ, ଆକାଶ ସିଂ, ବିଦ୍ୟାଧର ପାଟିଲ, ଶୁଭାଙ୍ଗ ହେଗ୍‌ଡେ, ଶାଶ୍ୱତ ରାଓ୍ବତ୍‌ ଓ କୁମାର କୁଶଗ୍ରା।
ବାଂଲାଦେଶ ଦଳ: ଆକବର ଅଲି (ଅଧିନାୟକ), ଅଭିଷେକ ଦାସ, ହାସନ ମୁରାଦ, ମହମୁଦୁଲ ହାସନ ଜୟ, ଏସ୍‌.ଏମ. ମେହେରୋବ, ପରଭେଜ ହୋସେନ ଇମୋନ, ପ୍ରାନ୍ତିକ ନୋରୋଜ ନାବିଲ, ରାକିବୁଲ ହାସନ, ଶାହାଦତ ହୋସେନ, ଶହିନ ଆଲମ, ସାମିମ୍‌ ହୋସେନ, ସୋରିଫୁଲ ଇସ୍‌ଲାମ, ତାନଜିଦ୍‌ ହାସନ, ତାନ୍‌ଜିମ ହାସନ ସାକିବ ଓ ତୋହ୍ବିଦ ହୃଦୟୋ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୧.୩୦
ସ୍ଥାନ: ପୋଚେଫ୍ସଟ୍ରୁମ (ଦକ୍ଷିଣ ଆଫ୍ରିକା)
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri