ତାଳଚେର, ୧୯ା୮ (ନି.ପ୍ର.) ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ଦେବାରେ ଏମ୍ସିଏଲ ବିଫଳ ହେବା ଓ ପ୍ରତିଶ୍ରୁତି କାର୍ଯ୍ୟକାରୀ କରୁ ନ ଥିବା ଅଭିଯୋଗ କରିଛି ତାଳଚେର ସୁରକ୍ଷା ମଞ୍ଚ। ଏହା ପ୍ରତିବାଦରେ ଆସନ୍ତା ୨୦ ତାରିଖରୁ ତାଳଚେର କୋଲ ଫିଲ୍ଡସର ସମସ୍ତ କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ରବିବାର ବଲଣ୍ଡା ଶିବମନ୍ଦିର ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ବସିଥିଲା। ସଂଘ ସଭାପତି ମୁରଲୀଧର ସାହୁ ଏଥିରେ ଅଧ୍ୟକ୍ଷତା କରି କହିଲେ, ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ୨ଟି କିସ୍ତିରେ ଅଗଷ୍ଟ ୧୦ ମଧ୍ୟରେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ୧୦ ତାରିଖ ବିତି ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ନିଯୁକ୍ତି ମିଳି ପାରିନାହିଁ। ଏମସିଏଲର ଏଭଳି ମନୋଭାବକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତୁରନ୍ତ ଅବଶିଷ୍ଟ କ୍ଷତିପୂରଣ ଓ ନିଯୁକ୍ତି ଦିଆ ନ ଗଲେ ୨୦ରୁ ତାଳଚେରର ସମସ୍ତ କୋଇଲା ଖଣି ବନ୍ଦ କରାଯାଇ କୋଇଲା ଉତ୍ତୋଳନ, ପରିବହନ କାର୍ଯ୍ୟ ସହ ସମସ୍ତ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ମଞ୍ଚ ପକ୍ଷରୁ ସ୍ଥିର ହୋଇଛି। ଏ ସମ୍ପର୍କରେ ଅନୁଗୋଳ ଜିଲା ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଯାଇଥିବା ସଭାପତି ପ୍ରକାଶ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନରହରି ସାହୁ, ସନ୍ତୋଷ ପ୍ରଧାନ, ସରପଞ୍ଚ ଅବନିକାନ୍ତ ଦେହୁରୀ, ରାଜେଶ ଦାସ, ମୃତକଙ୍କ ପରିବାରଙ୍କ ସମେତ ୪ଟି ଗ୍ରାମର ବାସିନ୍ଦା ଉପସ୍ଥିତ ଥିଲେ।