ଡେରାଡୁନ୍, ୩।୮: ଉତ୍ତରାଖଣ୍ଡର ଋଷିକେଶଠାରେ ଗଙ୍ଗାନଦୀ ଉପରେ ଥିବା ୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜୁଲାଇ ୧୨ରୁ ନିର୍ଦ୍ଦେଶ ଜାରି ହୋଇଥିଲା। ତେବେ ୨୦୨୧ କୁମ୍ଭ ମେଳା ପୂର୍ବରୁ ଏହାର ମରାମତି କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ୧୯୨୩ରେ ନିର୍ମିତ ହୋଇଥିବା ଏହି ୧୫୦ ମିଟର ଝୁଲା ପୋଲ ଅତି ଖରାପ ହୋଇ ପଡ଼ିଥିବାରୁ ଏହା ଉପରେ ଦେଇ ଯାତାୟତ ନ କରିବାକୁ ବିଶେଷଜ୍ଞ ଦଳ ପକ୍ଷରୁ ରାଜ୍ୟ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଏହା ଉପରେ ଚଳାଚଳ ବନ୍ଦ ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ ମରାମତି ପରେ ଏହାକୁ ପୁଣି ଖୋଲା ଯିବା ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଓମ୍ ପ୍ରକାଶ ସୂଚନା ଦେଇଛନ୍ତି। ଏହାର ମରାମତି ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇଛି।