ନୂଆଦିଲ୍ଲୀ,୮।୫: କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୯୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ୧,୨୭୩ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଏବେ ଦେଶରେ ସୁସ୍ଥତାଙ୍କ ହାର ୨୯.୩୬ ପ୍ରତିଶତ ରହିଛି ବୋଲି ଶୁକ୍ରବାର ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ବାଲ। ଏବେସୁଦ୍ଧା ମୋଟ ସୁସ୍ଥଙ୍କ ସଂଖ୍ୟା ରହିଛି ୧୬,୫୪୦ ଓ ୩୭,୯୧୬ଜଣଙ୍କ ଚିକିତ୍ସା ଚାଲିଛି ବୋଲି ସେ କହିଛନ୍ତି। ୨୯ ଜିଲାରେ ଗତ ୨୧ ଦିନ ମଧ୍ୟରେ କୌଣସି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନ ଥିବା ବେଳେ ସେହିପରି ଗତ ୧୪ ଦିନ ମଧ୍ୟରେ ୩୬ ଜିଲାରେ ମଧ୍ୟ କୌଣସି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ। ସେମିତି ୪୬ ଜିଲାରେ ମଧ୍ୟ ଗତ ସପ୍ତାହକ ମଧ୍ୟରେ କୌଣସି ନୂଆ ସଂକ୍ରମିତ ଚିହ୍ନଟ ହୋଇନାହନ୍ତି ବୋଲି ସେ କହିଛନ୍ତି। ସମସ୍ତ ତଥ୍ୟ ଆସିବା ପରେ ରାଜ୍ୟ ଗୁଡିକୁ ରେଡ, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ଅନୁଯାୟୀ ଏକ ତାଲିକା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।