ଆବୁଧାବି: ଛୋଟ ପିଲାଙ୍କ ସ୍ମୃତିଶକ୍ତି ପ୍ରଖର ହୋଇଥାଏ। ପରିବାରରେ ନିଜ ନିଜ ଭିତରେ କଥା ହେବାବେଳେ ଛୋଟ ପିଲା ସେ ସବୁକୁ ଖୁବ୍ଶୀଘ୍ର ମନେରଖିଥା’ନ୍ତି। ତେବେ ସେମାନଙ୍କ ମଧ୍ୟରେ ପ୍ରବଳ ଜିଜ୍ଞାସୁଭାବ ରହିଥାଏ। ସେମାନେ ସବୁବେଳେ କିଛି ନା କିଛି ନୂଆ ପ୍ରୟାସ ଚଳାଇଥାନ୍ତି। ଅନେକଙ୍କ ପାଖରେ ମଧ୍ୟ ଅନନ୍ୟ ପ୍ରତିଭା ରହିଥାଏ। ସେହିଭଳି ନିକଟରେ ଜଣେ ୪ ବର୍ଷ ୨୧୮ ଦିନର ପୁଅ ବହି ଲେଖି ତାଙ୍କ ନାମ ଗିନିଜ୍ ରେକର୍ଡରେ ଲିପିବଦ୍ଧ କରିଛନ୍ତି। ସେ ଗତ ୯ ମାର୍ଚ୍ଚରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଆବୁଧାବିର ସୟିଦ୍ ରସିଦ୍ ଏମ୍ହେଇରି ସବୁଠୁ ଛୋଟ ଲେଖକ ଭାବେ ବହି ଲେଖି ପବ୍ଲିଶ୍ କରି ରେକର୍ଡ ହାସଲ କରିଛନ୍ତି। ତାଙ୍କ ବହିର ନାମ ‘ଦି ଏଲିଫ୍ୟାଣ୍ଟ ସୟିଦ୍ ଆଣ୍ଡ ଦି ବିୟର’। ଦୁଇ ପ୍ରାଣୀ ମଧ୍ୟରେ ଥିବା ଅପ୍ରତ୍ୟାଶିତ ଓ ଦୟାଳୁ ବନ୍ଧୁତାକୁ ଏହି ଗଳ୍ପରେ ଦର୍ଶାଯାଇଛି। ସେ ତାଙ୍କ ପରିବାରରେ ଜଣେ ଏପରି ରେକର୍ଡଧାରୀ ନୁହନ୍ତି। ତାଙ୍କ ବଡ଼ ଭଉଣୀ ଅଲ୍ଧାବିଙ୍କଠାରୁ ସେ ଅନୁପ୍ରାଣିତ ହୋଇ ବହି ଲେଖିଛନ୍ତି। ଅଲ୍ଧାବି ୮ ବର୍ଷ ୨୩୯ ଦିନରେ ସବୁଠୁ ଛୋଟ ଲେଖିକା ଭାବେ ଦୁଇ ଭାଷାରେ ବହି ଲେଖି ପବ୍ଲିଶ୍ କରି ଗିନିଜ୍ ରେକର୍ଡ କରିଛନ୍ତି। ସୟିଦ୍ କହିଛନ୍ତି, ସେ ତାଙ୍କ ଭଉଣୀ ସହ ସମୟ ବିତାଇବାକୁ ଭଲପାଆନ୍ତି। ସେମାନେ ଏକାଠି ପଢ଼ିବା, ଲେଖିବା, ଚିତ୍ର କରିବା ସହ ବିଭିନ୍ନ କାର୍ଯ୍ୟକଳାପ ମଧ୍ୟ କରିଥାଆନ୍ତି।