ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍ଠାରୁ ଆରମ୍ଭ କରି ହଲିଉଡ୍ ଫିଲ୍ମରେ କାମ କରିସାରିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଦିନ ରାତି ପରିଶ୍ରମ କରିବାକୁ ପଡ଼ିଛି। ମିସ୍ ଓ୍ବାଲ୍ଡ ବିଜେତା ହେବା ପରେ ପ୍ରିୟଙ୍କା ଫିଲ୍ମ ‘ଦ ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୨୦୦୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଅନ୍ଦାଜ’ ତାଙ୍କ କ୍ୟାରିୟର ପାଇଁ ଏକ ଟର୍ନିଂ ପଏଣ୍ଟ ଥିଲା। ଏହି ଫିଲ୍ମର ଶୁଟିଂ ସମୟରେ ଏମିତି କିଛି ଘଟଣା ଘଟିଥିଲା ଯାହାକୁ ପ୍ରିୟଙ୍କା ଆଜି ପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି। ଫିଲ୍ମ ‘ଅନ୍ଦାଜ’ର ଶୁଟିଂ ସମୟରେ ୪୦ରୁ ଊର୍ଦ୍ଧ୍ୱ ଥର ରିଟେକ୍ ହେବା ପରେ ମଧ୍ୟ ପ୍ରିୟଙ୍କା ଠିକ୍ ଭାବେ ନୃତ୍ୟ କରିପାରି ନ ଥିଲେ। ଏଥିପାଇଁ କୋରିଓଗ୍ରାଫର ରାଜୁ ଖାନ୍ ସମସ୍ତଙ୍କ ସମ୍ମୁଖରେ ତାଙ୍କ ଗାଳି କରିଥିଲେ।
ପ୍ରିୟଙ୍କା କୁହନ୍ତି, ଦକ୍ଷିଣ ଆଫ୍ରିକାରେ ଫିଲ୍ମର ଏକ ରୋମାଣ୍ଟିକ୍ ଗୀତର ଶୁଟିଂ ଚାଲିଥାଏ। ମାତ୍ର ସେ ନୃତ୍ୟଟିକୁ ଠିକ୍ ଭାବେ କରି ପାରି ନ ଥିଲେ। ଏଥିପାଇଁ କୋରିଓଗ୍ରାଫର ରାଜୁ ହାତରେ ଧରିଥିବା ମାଇକ୍କୁ ରାଗରେ ତଳେ ଫୋପାଡି ଦେଇଥିଲେ। ଆଉ କହିଥିଲେ, କେବଳ ମିସ୍ ଓ୍ବାଲ୍ଡ ହୋଇଗଲେ କିଏ ଅଭିନେତ୍ରୀ ହୋଇଯିବେନି। ପ୍ରଥମେ ଯାଅ ନୃତ୍ୟ ଶିଖି ଆସ। ତା ପରେ ପରଫର୍ମ କରିବ। ଏ ବିଷୟରେ ପ୍ରିୟଙ୍କା କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।