ନୂଆଦିଲ୍ଲୀ,୧୬-୧: ଓଡ଼ିଶାର ମଙ୍ଗୁଳି ସମେତ ଅଧିକ କାରବାର କରୁଥିବା ଦେଶର ୬୫ ଟୋଲ୍ ପ୍ଲାଜାରେ ବୁଧବାରଠାରୁ ଆସନ୍ତା ଗୋଟିଏ ମାସ ଲାଗି ଫାଷ୍ଟାଗ ନିୟମ କୋହଳ କରାଯାଇଛି। ଏ ନେଇ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି। ଅଧିକ ନଗଦ କାରବାରକୁ ଦୃଷ୍ଟିରେ ରଖି ଏହିସବୁ ଟୋଲ ପ୍ଲାଜାଗୁଡିକରେ ଫାଷ୍ଟାଗ ବ୍ୟବସ୍ଥା କୋହଳ କରାଯିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୩୦ ଦିନ ମଧ୍ୟରେ ୬୫ ଟୋଲ ପ୍ଲାଜାରେ ଟୋଲ ଆଦାୟ ଲେନ୍ ମଧ୍ୟରୁ ୨୫% ଲେନ୍କୁ ହାଇବ୍ରିଡ ଲେନ ଭାବେ ପରିବର୍ତ୍ତିତ କରିବା ଲାଗି କୁହାଯାଇଛି। ଏହି ସବୁ ଲେନ୍ଗୁଡିକରେ ଉଭୟ ନଗଦ ଏବଂ ପାଷ୍ଟାଗ ପଦ୍ଧତିରେ ଟୋଲ ଆଦାୟ କରାଯାଇ ପାରିବ।
ଏହି ଟୋଲ ପ୍ଲାଜାଗୁଡିକ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥସ୍ଥିତ ମଙ୍ଗଳି ଟୋଲ ପ୍ଲାଜା ସାମିଲ ରହିଛି। ଏହିସବୁ ଟୋଲ ପ୍ଲାଜାଗୁଡିକରେ ଅଧିକ ନଗଦ କାରବାର ହେଉଥିବାରୁ ଏହାକୁ ନେଇ ଏନ୍ଏଚ୍ଏଆଇ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା। ଟୋଲ ପ୍ଲାଜାର ଦୁଇପାର୍ଶ୍ୱରେ ଥିବା ହାଇବ୍ରିଡ ଲେନଗୁଡିକରେ ଅଧିକ ଗାଡି ଭିଡ ଜମୁଥିଲା। ଗାଡି ଚାଳକଙ୍କ ଅସୁବିଧାକୁ ଧ୍ୟାନରେ ରଖି ଏହି ଟୋଲ ପ୍ଲାଜାର ୨୫% ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଏନ୍ଏଚ୍ଏଆଇକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିୟମ କୋହଳ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଫାଷ୍ଟାଗ ବ୍ୟବସ୍ଥା ଲାଗୁ କରିବା ଗାଡି ଭିଡ ଦୂରକରିବା ଦିଗରେ ଏନ୍ଏଚ୍ଏଆଇ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ।